ଆପ୍ ପକ୍ଷରୁ ଆସନା ୨୮ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
ଢେଙ୍କାନାଳ(ଉଲ୍ଲାପ୍ର )ଆମ୍ ଆଦ୍ମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ତରଫରୁ ଆସନ୍ତା ୨୮ ତାରିଖ ପୂର୍ବାହ୍ଣ ୧୧ ଘଟିକା ସମୟରେ ଜିଲ୍ଲା କାର୍ଯ୍ୟାଳୟ , କଚେରୀ ରୋଡ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଧାରଣା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଆଜି ମହାବୀର ବଜାରସ୍ଥିତ ଆପ୍ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ମିଶନଶକ୍ତିରେ କାମ କରୁଥିବା ସହାୟକ ଷ୍ଟାଫ୍ ଯଥା ଏମ୍ବିକେ , ସିଆରପି , କୃଷିମିତ୍ର , ପ୍ରାଣୀମିତ୍ର , ବ୍ୟାଙ୍କମିତ୍ର ଏବଂ ଏଲ୍ସ୍ପି ମାନଙ୍କର ଚାକିରୀକୁ ସ୍ଥାୟୀ କରିବା ଏବଂ ଦରମା ବୃଦ୍ଧି କରିବା ପାଇଁ ଏହି ଆନ୍ଦୋଳନ ମାଧ୍ୟମରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦେବାର ବ୍ୟବସ୍ଥା ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜୁ ଜନତା ଦଳ ଦୀର୍ଘ ଦିନରୁ କାମ କରୁଥିବା ଏହି ସହାୟକ ଷ୍ଟାଫ୍ମାନଙ୍କର ଯୁକ୍ତିଯୁକ୍ତ ଦାବିକୁ ଅଣଦେଖା କରୁଛି । ମିଶନ ଶକ୍ତିକୁ ନିଜ ସରକାରର ସବୁଠାରୁ ସଫଳ କାର୍ଯ୍ୟକ୍ରମ ଭାବରେ ପ୍ରଚାର କରୁଥିବା ନବୀନ ସରକାର ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସ୍ଥାୟୀ କରିବା ପାଇଁ ପ୍ରସ୍ତୁତ ନୁହେଁ । ଫେବୃଆରୀ ୨୦ ତାରିଖରେ ପ୍ରାୟ ୨୦ ହଜାର ମିଶନ ଶକ୍ତି ସହାୟକ କର୍ମଚାରୀମାନେ ଲୋୟର ପି.ଏମ୍.ଜି. ଠାରେ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର କର୍ଣ୍ଣପାତ କଲେ ନାହିଁ । ୨୦୨୩ – ୨୪ ବଜେଟ୍କୁ ଏକ ବଳକା ବଜେଟ୍ ଅର୍ଥାତ୍ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି ବୋଲି ଦାବି କରୁଥିବା ବିଜେଡି ସରକାର କାହିଁକି ମିଶନ ଶକ୍ତିର ସହାୟକ କର୍ମଚାରୀମାନଙ୍କୁ ସ୍ଥାୟୀ କରିବାକୁ ରାଜି ହେଉନାହିଁ , ତାହା ଜଣାପଡୁନାହିଁ । ଏମାନଙ୍କୁ କେବଳ ନିର୍ବାଚନରେ ପ୍ରଚାର କାମରେ ଲଗାଇବା ପାଇଁ ଏବଂ ସବୁଦିନ ପାଇଁ ବିଜେଡି ପାଖରେ ଭୟଭୀତ କରି ରଖୁବାର ଯୋଜନା ବୋଲି ଆମ ଆଦ୍ମୀ ପାର୍ଟି ଅଭିଯୋଗ କରୁଛି । ତେଣୁ ତୁରନ୍ତ ମିଶନ ଶକ୍ତିର ସହାୟକ କର୍ମଚାରୀଙ୍କୁ ସ୍ଥାୟୀ କରିବା ଏବଂ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରିବା ପାଇଁ ଆଜି ଆମ୍ ଆଦ୍ମୀ ପାର୍ଟି ଦାବି କରୁଛି । ଆଗାମୀ ୨୮ ତାରିଖରେ ମିଶନ ଶକ୍ତିର ସହାୟକ କର୍ମଚାରୀମାନଙ୍କୁ ନ୍ୟାୟ ଦେବା ପାଇଁ ଆପ୍ ତରଫରୁ ଧାରଣା ଓ ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯିବ ବୋଲି ଘୋଷଣା କରିଛନ୍ତି । ଏହି ପ୍ରେସ୍ ବାର୍ଟରେ ବରିଷ୍ଠ ସଭ୍ୟ ବିଷ୍ଣୁପ୍ରସାଦ ପଣ୍ଡା , ଜିତେନ୍ଦ୍ର ବେହେରା , ଚିନ୍ମୟ ସେନାପତି , ନିତ୍ୟାନନ୍ଦ ପଣ୍ଡା , ଜନାର୍ଦ୍ଦନ ନନ୍ଦି ପ୍ରମୁଖ ଉପସ୍ଥିତ ଥିଲେ ।