୩୦ ରାତିରୁ ପୁରୀ ଜିଲ୍ଲାରେ କର୍ଫ୍ୟୁ, ଜୁଲାଇ ୨ ଯାଏଁ ରହିବ ବଳବତ୍ତର

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ବାହୁଡ଼ା ଯାତ୍ରା ପାଇଁ ଆସନ୍ତା ୩୦ ତାରିଖ ରାତି ଠାରୁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ। ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, କର୍ଫ୍ୟୁ ସମୟରେ ଜିଲ୍ଲାରେ ଲୋକଙ୍କର ଯାତାୟତ ଉପରେ ନଜର ରଖାଯିବ। ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ଯିବାକୁ ଯିବା ପାଇଁ ଅନୁମତି ମିଳିବ ନାହିଁ।ସେହିପରି ଜିଲ୍ଲା ପ୍ରଶାସନ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କଟକଣା ଲାଗୁ କରିଛି। ଏହି ୪ ଦିନ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକଙ୍କୁ ନରଖିବାକୁ ହୋଟେଲ ଓ ଲଜ୍ ମାଲିକମାନଙ୍କୁ ନିର୍ଦ୍ଦେଶ ହୋଇଛି। ବଡ଼ଦାଣ୍ଡରେ ଥିବା ବ୍ୟକ୍ତିଗତ ଘର, ଧାର୍ମିକ ଅନୁଷ୍ଠାନର ସର୍ଭେ ହେବ। ଲୋକେ ନିଜ ଘରେ କେବଳ ନିଜେ ରହିପାରିବେ। ବାହାର ଲୋକଙ୍କୁ ଘରେ ରଖିପାରିବେ ନାହିଁ। ଜିଲ୍ଲାପାଳ ଶ୍ରୀ ସିଂହ ଲୋକଙ୍କ ନିକଟରେ ଅପିଲ କରିଛନ୍ତି ଯେ, ସେମାନେ ଘରେ ରହି ପ୍ରଭୁଙ୍କ ଦର୍ଶନ କରନ୍ତୁ।ସୂଚନାଯୋଗ୍ୟ, ଗତ ୨୨ ତାରିଖ ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ରଥଯାତ୍ରା ଉପଲକ୍ଷେ ବଡ଼ଦାଣ୍ଡରେ କର୍ଫ୍ୟୁ ଓ ପୂରା ଜିଲ୍ଲାରେ ସଟ୍ଡାଉନ କରାଯାଇଥିଲା। ରଥଯାତ୍ରାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରାଶସନ ପକ୍ଷରୁ ଏହି ପଦପେକ୍ଷ ନିଆଯାଇଥିଲା। ବାହୁଡ଼ା ଯାତ୍ରା ଉପଲକ୍ଷେ ପ୍ରଶାସନ ପୁନର୍ବାର ଏହି ପଦକ୍ଷେପ ନେଇଛି। ଜୁଲାଇ ୧ ତାରିଖରେ ବାହୁଡ଼ା ଯାତ୍ରା ଥିବାରୁ ଭକ୍ତଙ୍କ ଭିଡ଼କୁ ରୋକିବା ଲକ୍ଷ୍ୟରେ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ଅନ୍ୟପଟରେ ବାହୁଡ଼ା ଯାତ୍ରାରେ ଯେଉଁ ସେବାୟତମାନେ ସାମିଲ ହେବେ ସେମାନଙ୍କର କୋଭିଡ ନମୁନା ପରୀକ୍ଷା ଜାରି ରହିଛି।