ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ପରେ ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣେ ସେବାୟତ କରୋନା ଭାଇରସ ପଜିଟିଭ ଚିହ୍ନଟ ହେବା ପରେ ସେବାୟତ ରହୁଥିବା ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପୁରୀ ଜିଲ୍ଲା ପ୍ରଶାସନ। ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତିରେ ଜିଲ୍ଲାପାଳ କହିଛନ୍ତି, ପୁରୀ ପୌରପାଳିକା ଅନ୍ତର୍ଗତ ସୁଆର ସାହି ଛକରୁ ନାରାୟଣୀ ସାହି ଛକ ଯାଏଁ ଥିବା ଅଂଚଳକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି।କଣ୍ଟେନମେଣ୍ଟ ଜୋନ୍ ଭିତରକୁ ବାହାର ପାର୍ଶ୍ୱରୁ କେହି ପ୍ରବେଶ କରିପାରିବେ ନାହିଁ। ସେହିଭଳି ଏହି ଅଂଚଳରୁ ବାହାରକୁ କୌଣସି ବ୍ୟକ୍ତି ଯାଇପାରିବେ ନାହିଁ। ସଂପୃକ୍ତ ଅଂଚଳର ଲୋକଙ୍କୁ ଘର ଭିତରେ ରହିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ଏହି ଅଂଚଳର ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ଜରୁରୀକାଳୀନ ଭିତ୍ତିରେ ବନ୍ଦ ରଖିବାକୁ କୁହାଯାଇଛି। ପୁରୀ ପୌରପାଳିକା ପକ୍ଷରୁ ସଂପୃକ୍ତ ଅଂଚଳରେ ଅତ୍ୟାବଶ୍ୟକ ଯୋଗାଣ ସାମଗ୍ରୀ ଓ ମେଡିକାଲ ସୁବିଧା ଯୋଗାଇ ଦିଆଯିବ। ସେହିଭଳି କଣ୍ଟେନମେଣ୍ଟ ଜୋନ ଅଂଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି। ସଟ୍ଡାଉନ ଆଜି ସକାଳ ୭ଟାରୁ ଲାଗୁ ହୋଇଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।