ବିଷାକ୍ତ ମଦ ପିଇ ଶ୍ବଶୁରଙ୍କର ମୃତ୍ୟୁ, ସଇଁତଳା ଥାନାରେ ଅଭିଯୋଗ କଲେ ଜ୍ବାଇଁ

ସଇଁତଳା: ବଲାଙ୍ଗୀର ଜିଲ୍ଲାର ସଇଁତଳା ଅଞ୍ଚଳରେ ବିଷାକ୍ତ ମଦ ପିଇ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ସଇଁତଳା ଥାନା ଅନ୍ତର୍ଗତ ଧରମଗଡ଼ ପଞ୍ଚାୟତର ଖଣ୍ଡାଧୁଆ ଜୋର ନିକଟରେ ଗତ କିଛି ଦିନ ହେବ ଅପମିଶ୍ରିତ ମଦ ରନ୍ଧା ଚାଲିଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।ଏଭଳି ସମୟରେ ଗତକାଲି ବିଳମ୍ବିତ ରାତିରେ କଳାକାର ସାଣ୍ଢ ନାମକ ଜଣେ ଲୋକ ସେଠାକୁ ମଦ ପିଇବାକୁ ଆସିଥିଲେ। ଏହାପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳେ ଏ ନେଇ କଳାକାର ସାଣ୍ଢଙ୍କ ଜ୍ବାଇଁ ସଇଁତଳା ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ପାଇବା ପରେ ବଡ଼ମାଲ ଫାଣ୍ଡି ଅଧିକାରୀ କୁନୁ ସାହୁ ଘଟଣାସ୍ଥଳରେ ପହଞ୍ଚି କଳାକାର ସାଣ୍ଢଙ୍କ ଶବକୁ ଜବତ କରିଛନ୍ତି। ଏହାଛଡ଼ା ଶବ ବ୍ୟବଚ୍ଛେଦ ଲାଗି ଟିଟଲାଗଡ଼ ଡାକ୍ତରଖାନାକୁ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ ବୋଲି ବଡ଼ମାଲ ଫାଣ୍ଡି ଅଧିକାରୀ କହିଛନ୍ତି। ଅପରପକ୍ଷରେ ଏଯାବତ୍ ମଦ ରନ୍ଧାସ୍ଥଳରେ ଅବକାରୀ ବିଭାଗର କେହି କର୍ମଚାରୀ ପହଞ୍ଚି ନଥିବା ଜଣାଯାଇଛି।