ଦାଦନ ମାନଙ୍କ ପାଇଁ ସବୁ ଦିନିଆ ବ୍ୟବସ୍ଥା ଦରକାର ।
ଗଂଜାମ ଜିଲ୍ଲାରେ ସୁରତ ପେରନ୍ତା ପହଞ୍ଚିବା ପରେ ଏ ଚର୍ଚ୍ଚା ଜୋରରେ ଆରମ୍ଭ ହୋଇଗଲା । ପୁଣି ଯେତେବେଳେ ସୁରତ ଫେରନ୍ତାଙ୍କ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଲା, ସେତେବେଳେ ଏ ବିବାଦ ଆହୁରି ବଢିଲା । ପୁଣି ଯେତେବେଳେ କୋଦଳା ବ୍ଲକର ଦୁଇଟି ସଂଗରୋଧ କେନ୍ଦ୍ରରୁ ଖାଦ୍ୟ ଅବସ୍ଥା ଖରାପ ଦର୍ଶାଇ ୧୦୦ରୁ ଅଧିକ ଦାଦନ ଶ୍ରମିକ ଚମ୍ପଟ ମାରିଲେ, ସେତେବେଳେ ସାରା ଓଡ଼ିଶା ତାଙ୍କୁ ଛି’ଛାକର କଲା । କଡ଼ା ଭାଷାରେ ନିନ୍ଦା କଲା । ଏମିତିକି ଘୃଣା କରିବା ପରି ଶବ୍ଦ ବି ବ୍ୟବହାର କଲା ।
ସାରା ରାଜ୍ୟକୁ ଏବେ ଦାଦନ ଫେରୁଛନ୍ତି । ଯଦିଓ ଗଂଜାମ ଏ ନେଇ ଏବେ ବି ଶୀର୍ଷରେ ରହିଛି, କିନ୍ତୁ ଅଲଗା ଜିଲ୍ଲାମାନଙ୍କରେ ବି ସେମାନଙ୍କ ସଂଖ୍ୟା ସେମିତି କିଛି କମ ନୁହେଁ । କୋଲକାତାଠାରୁ ଆରମ୍ଭ କରି ମୁମ୍ବାଇ, ଅହମ୍ମଦାବାଦ, ଦିଲ୍ଲୀ, ଚେନ୍ନାଇ, କେରଳ, ଆନ୍ଧ୍ର ପ୍ରଦେଶ, ଜାମ୍ମୁ କାଶ୍ମୀର ଆଦି ପ୍ରତିଟି ରାଜ୍ୟକୁ ଓଡ଼ିଶାର ଲୋକେ ଦାଦନ ଭାବେ ଖଟିବାକୁ ଯାଇଛନ୍ତି ।
ଯେତେବେଳେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଉଠିବା କଥା ସାମ୍ନାକୁ ଆସିଲା ଓ ଓଡ଼ିଶା ସରକାର ବାହାର ରାଜ୍ୟରେ ଥିବା ଦାଦନମାନଙ୍କୁ ଫେରାଇ ଆଣିବା ପାଇଁ ପଞ୍ଜିକରଣ ଆରମ୍ଭ କଲେ, ସେତେବେଳେ ଦୁଇ ଦିନ ମଧ୍ୟରେ ଦୁଇ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ନିଜ ନାମ ପଞ୍ଜୀକରଣ କରିଥିଲେ । ତା’ପରେ ଏ ସଂଖ୍ୟା ବଢି ବଢି କେତେ ଛୁଇଁଲା, ସେକଥା ଆଉ ସରକାର ଜଣେଇଲେ ନାହିଁ କି କେହି ପଚାରିଲେ ବି ନାହିଁ, ଓଡ଼ିଶାରେ ଦାଦନଙ୍କ ସଂଖ୍ୟା କେତେ ? କଣ ପାଇଁ ଏତେ? ଯଦିଓ ସରକାରୀ ମୁଖପାତ୍ର ଦିନେ କହୁ କହୁ କହି ଦେଇଥିଲେ, ୧୨ ଲକ୍ଷରୁ ଅଧିକ ଓଡ଼ିଆ ଓଡ଼ିଶା ବାହାରେ ମୂଲ ଲାଗୁଛନ୍ତି । ଦାଦନ ଭାବେ ଖଟୁଛନ୍ତି । ସେମାନେ ନିଜେ ବସ ଭଡ଼ା କରି ଓଡ଼ିଶା ଆସିଛନ୍ତି । ଏବେ କ୍ରମଶଃ ଆସ୍ତେ ଆସ୍ତେ ସରକାର ସେମାନଙ୍କୁ ଫେରେଇ ଆଣିବା କାମ କରୁଛନ୍ତି ।
ତେବେ କଥା ହେଉଛି- କୋଦଳା ବ୍ଲକରେ ଖାଇବାକୁ ନେଇ ଗୋଟିଏ ଭିଡ଼ିଓ ଭାଇରାଲ ହେବା ପରେ ସାରା ଓଡ଼ିଶା ଯେଉଁ ଭାବେ ଦାଦନମାନଙ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କଲା ଓ ନିନ୍ଦା କଲା- ତାହା ଆଶ୍ଚର୍ଯ୍ୟଜନକ । କେତେକ ତ ଲେଖିଲେ କି – ତମେ ଶଳେ ଏଇ ଡାଲମା ଭାତ ଖାଇବାକୁ ପାଉ ନଥିଲ ସୁରତରେ ବୋଲି । ପୁଣି ଆଉ ଯୋଉଠି କିଛି ଟିକିଏ ହେଲା କି ତାର ଭିଡ଼ିଓ ସାମ୍ନାକୁ ଆସିଲା- ସଙ୍ଗେ ସଙ୍ଗେ ଗଣମାଧ୍ୟମରେ ତାକୁ ଦେଖାଇବାର ପ୍ରତିଯୋଗୀତା ଆରମ୍ଭ ହେଲା । ଆଉ ସାମାଜିକ ଗଣମାଧ୍ୟମରେ ତାର କଡ଼ା ନିନ୍ଦା ଆରମ୍ଭ ହୋଇଗଲା ।
କିନ୍ତୁ ଏଇ ଦାଦନମାନେ କିଏ କି? ଆମ ଗାଁ, ଆମ ପଡ଼ିଶା, ଆମ ବନ୍ଧୁବାନ୍ଧବଙ୍କ ଭିତରୁ ବି କେହି ହୋଇ ପାରନ୍ତି । ଆମ ଘରର ଲୋକେ ବି ହୋଇ ପାରନ୍ତି । ସେମାନେ ବେଶି ପାଠ ପଢି ନାହାନ୍ତି । ପଢି ବି ପାରି ନାହାନ୍ତି- କାରଣ ଘରର ଆର୍ଥିକ ସ୍ଥିତି ସେମିତି ଥିଲା । ସେଇ କାରଣରୁ ୧୮-୨୦ ବର୍ଷ ବୟସରେ ନିଜ ରାଜ୍ୟ ଛାଡ଼ି ବାହାର ରାଜ୍ୟରେ ସେମାନେ ମୂଲ ଲାଗୁଛନ୍ତି । ନିଜେ ପାରାଭାଡ଼ି ପରି ଭଡ଼ା ଘରେ ରହି ନିଜ ଘରକୁ ଟଙ୍କା ପଠାଉଛନ୍ତି । ସେଇ ପଇସାରେ ତ ଘର ଚଳୁଛି । ଘର ଚଳୁଛି ବୋଲି ତ ସେମାନେ ଆଉ ଆସି ପାରୁ ନାହାନ୍ତି । ବର୍ଷକୁ ଥରେ ଅଧେ ଆସି ବୁଲି ଯାଉଛନ୍ତି । ପୁଣି ମୂଲ ଲାଗି, ମେହନତର ଝାଳ ବୁହାଇ ଯାହା ବି ହେଲେ ଅର୍ଥ ଉପାର୍ଜନ କରୁଛନ୍ତି ।
କିନ୍ତୁ, ଯେବେ ସେମାନେ ଓଡ଼ିଶା ଆସିଲେ ଓ ଗୋଟିଏ ଭିଡ଼ିଓ ଭାଇରାଲ ହେଲା- ସାମାଜିକ ଗଣମାଧ୍ୟମରେ ସମସ୍ତେ ମିଶି ସେମାନଙ୍କୁ ଗାଳି ଦେବାକୁ ଆରମ୍ଭ କଲେ । ଏଠି ଦୁଇଟି କଥା- ଯଦି କୋଉ ଦିନ କଣ ଖାଇବା ଦିଆଯିବ, ସେଥିପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି, ସେମାନଙ୍କୁ କଣ ପାଇଁ ଦୁଇଟି ଜରିରେ ବାନ୍ଧି ଭାତ, ଡାଲମା ଧରେଇ ଦିଆଗଲା? କଣ ସେମାନେ ମୂଲିଆ, ମଜୁରିଆ ମଣିଷ ବୋଲି? ଅନ୍ୟମାନଙ୍କ ପାଇଁ ଏମିତି କରିବାକୁ ପ୍ରଶାସନ ସାହାସ କରି ପାରି ଥାଆନ୍ତା କି? ଏ ପ୍ରଶ୍ନ କିନ୍ତୁ ଆମେ ପ୍ରଶାସନକୁ ପଚାରିଲୁ ନାହିଁ । ସେମିତି- ଓଡ଼ିଶାର ପିଲା, ଲୋକେ ସେମାନେ । ଏଇ ତାଙ୍କର ଜନ୍ମମାଟି । ଏଠିକୁ ସେମାନେ ଫେରିବେ । ମଣିଷ, ବିପଦରେ ପଡ଼ିଲେ ତ ନିଜ ଜନ୍ମମାଟିକୁ ଜାବୁଡ଼ି ଧରିବାକୁ ଫେରିଆସେ । ଯୁଗ ଯୁଗ ଧରି ଏହା ଚାଲି ଆସିଛି । ଆମେ ବି ସେଇଆ କରନ୍ତି ।