ମସଜିଦରେ ଲୁଚିଥିଲେ ୧୦ କରୋନା ସନ୍ଦିଗ୍ଧ ବିଦେଶୀ, ଉଠାଇନେଲା ପୁଲିସ

ପାଟନା: ମସଜିଦରେ ଲୁଚିଥିବା ୧୦ କରୋନା ସନ୍ଦିଗ୍ଧ ବିଦେଶୀଙ୍କୁ ପୁଲିସ ଉଠାଇ ନେଇଛି। ବିହାରର ପାଟନାରେ ସୋମବାର ଏଭଳି ଘଟଣା ଘଟିଛି। ଏହାବ୍ୟତୀତ ଅନ୍ୟ ୨ ଭାରତୀୟ ସନ୍ଦିଗ୍ଧଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଛି। ସେମାନେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସମସ୍ତଙ୍କୁ ଏମ୍ସରେ ଭର୍ତ୍ତି କରାଯିବା ସହିତ ରକ୍ତ ଏବଂ ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସୂଚନା ଅନୁସାରେ, ଏହି ବିଦେଶୀ ନାଗରିକମାନେ କିରଗିଜସ୍ତାନର ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ପାଟନାର ଦୀଘା ଥାନା ଅଞ୍ଚଳରେ ଥିବା କୁର୍ଜୀ ଅଞ୍ଚଳରେ ଥିବା ଏକ ମସଜିଦରେ ଲୁଚି ରହିଥିଲେ। ସ୍ଥାନୀୟ ଅଞ୍ଚଳବାସୀ ଯେତେବେଳେ ଏ ବିଷୟରେ ଜାଣିଲେ ସେତେବେଳେ ପାଟିତୁଣ୍ଡ କରିଥିଲେ। ଗଣ୍ଡଗୋଳ ଆଶଙ୍କାର ଖବର ପାଇ ପୁଲିସ ପହଞ୍ଚି ସମସ୍ତ ବିଦେଶୀ ଏବଂ ୨ ଭାରତୀୟଙ୍କୁ ପୁଲିସ ଉଠାଇ ନେଇଥିଲା।