ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ ଦଙ୍ଗା: ଜାଫରାବାଦରେ ସିଏଏ ସପକ୍ଷବାଦୀ-ବିପକ୍ଷବାଦୀଙ୍କ ଗୁଳିମାଡ଼, ମୌଜପୁରରେ କନଷ୍ଟେବଳଙ୍କ ମୃତ୍ୟୁ


ନୂଆଦିଲ୍ଲୀ: ପ୍ରାୟ ଦେଢ଼ ମାସ ପରେ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସିକୁ ନେଇ ହିଂସା ସୃଷ୍ଟି ହୋଇଛି। ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁର ଅଞ୍ଚଳରେ ସୋମବାର ସିଏଏ ସମର୍ଥକ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଦୁଇପକ୍ଷ ପରସ୍ପର ଉପରେ ଗୁଳିମାଡ଼ ଏବଂ ପଥରମାଡ଼ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ ସମୟରେ ପୁଲିସ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି। ମୌଜପୁରରେ ଜଣେ ହେଡ୍ କନଷ୍ଟେବଳ ରତନ୍ ଲାଲ୍ ଆକ୍ରମଣ ଯୋଗୁ ପ୍ରାଣ ହରାଇଛନ୍ତି।
ଜାଫରାବାଦରେ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ହେଁ ହିଂସାତ୍ମକ ପରିସ୍ଥିତି ଲାଗି ରହିଛି। ବିଭିନ୍ନ ସ୍ଥାନରେ ପଥରମାଡ଼ ହୋଇଛି। ବିକ୍ଷୋଭକାରୀମାନେ ୩ଟି ଗାଡ଼ିରେ ନିଆଁ ଲଗାଇ ଦେଇଥିବାବେଳେ ଅନେକ ଦୋକାନରେ ନିଆଁ ଲଗାଇଦେବାକୁ ଉଦ୍ୟମ କରିଛନ୍ତି। ସମୟ ସମୟରେ ବିକ୍ଷୋଭକାରୀଙ୍କ ପକ୍ଷରୁ ଗୁଳିମାଡ଼ ମଧ୍ୟ ହେଉଛି। ଏଥିରେ ଜଣେ ଯୁବକ ଏବଂ ଜଣେ ପୁଲିସ କର୍ମୀଙ୍କୁ ଗୁଳି ଲାଗିଛି। ଏହା ବ୍ୟତୀତ ହିଂସା ସମୟର ଦୃଶ୍ୟର ଭିଡିଓ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି।