🌳🌳🌳🌳🌳🌳ଜଙ୍ଗଲ ଲୁଟ୍ର ପୃଷ୍ଠପୋଷକ ସାଜିଛନ୍ତି ବନ କର୍ମଚାରୀ, ମାଫିଆଙ୍କ କବ୍ଜାରେ ଶହଶହ ଏକର ଜଙ୍ଗଲ ଜମି 🌳🌳🌳🌳🌳🌳

ଦଶପଲ୍ଲା : ଜିଲ୍ଲାର ସର୍ବବୃହତ ଜଙ୍ଗଲ କହିଲେ ଦଶପଲ୍ଲାକୁ ବୁଝାଏ। ଭୌଗୋଳିକ ଦୃଷ୍ଟିକୋଣ ହେଉ କି ଆୟତନ ଦୃଷ୍ଟିରୁ ଦଶପଲ୍ଲାର ଏକ ତୃତୀୟାଂଶ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ରହିଥିଲା। ଦିନ ଥିଲା ଏହି ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ବହୁ କଷ୍ଟକର ହୋଇ ପଡୁଥିଲା। ଆବହମାନ କାଳରୁ ପ୍ରଭୁ ଜଗନ୍ନାଥଙ୍କ ରଥକାଠ ଓ ଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ ପାଇଁ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ କାଠ ପଠାଯାଉଥିଲା। ଏହି ଅଭରାଭରା ଘଞ୍ଚ ଜଙ୍ଗଲ ମଧ୍ୟରେ ବନ୍ୟଜନ୍ତୁ ବେଶ୍ ଚଳପ୍ରଚଳ କରିବା ସହ ସେମାନେ ନିଜକୁ ସୁରକ୍ଷିତ ମଣୁଥିଲେ। ମାତ୍ର କିଛି ବର୍ଷ ମଧ୍ୟରେ ଦଶପଲ୍ଲା ବନାଞ୍ଚଳର ବିଭିନ୍ନ ସ୍ଥାନରୁ ଶହଶହ ଏକର ସଂରକ୍ଷିତ ଜଙ୍ଗଲ ଏବେ ପଦା ହୋଇଚାଲିଛି। ଏହାରି ମଧ୍ୟରେ ଦେଖିବାକୁ ଗଲେ ପ୍ରତିବର୍ଷ ସରକାରୀ ଭାବେ ଯେଉଁ ପରିମାଣର ଯେଉଁ କିସମ ଗଛ କଟାଯାଉଛି ସେହି ଅନୁପାତରେ ସେହି କିସମର ବୃକ୍ଷରୋପଣ କରାଯାଉନାହିଁ। ତାହାରି ମଧ୍ୟରେ ମାଫିଆଙ୍କ ରାଜୁତି ସହ ବନ କର୍ମଚାରୀଙ୍କ ସଂପୃକ୍ତି ମଧ୍ୟ ରହୁଛି। ଯାହାକୁ ନେଇ ଏବେ ଦଶପଲ୍ଲା ବନାଞ୍ଚଳ ଦିନକୁ ଦିନ ଶ୍ରୀହିନ ହେବାକୁ ଯାଉଥିବା ବେଳେ ପରିବେଶବିତ୍ଙ୍କ ମଧ୍ୟରେ ଉଦ୍ବେଗ୍ ପ୍ରକାଶ ପାଉଛି।
ନିଜ ଦଖଲକୁ ଜଙ୍ଗଲ ଜମି ଆଣିବା ପାଇଁ ବର୍ଷ ବର୍ଷ ଧରି ମାଫିଆମାନେ ଜଙ୍ଗଲ ମଧ୍ୟରେ ରାଜୁତି ଚଳାଇ ଆସୁଛନ୍ତି। ଯେଉଁଥିର ପୃଷ୍ଠପୋଷକ ସାଜୁଛନ୍ତି ବନ କର୍ମଚାରୀ। ବଡବଡ ଶାଳ, ପିଆଶାଳ, ଧଉରା, ଅସନ ପ୍ରଭୃତି ଗଛର ଛାଲି ଛଡ଼େଇ ସେସବୁ ବୃକ୍ଷକୁ ମାରିଦିଆଯାଉଛି ଏବଂ ପରେ ପରେ ଏସବୁ କାଠକୁ ହଜାର ହଜାର ଟଙ୍କାରେ ବିକ୍ରି କରିଦିଆଯାଉଛି। ଗଛ ଉଭାନ୍ ହେଇଯିବା ପରେ ମାଫିଆମାନେ ସେହି ସୁବ ଜଙ୍ଗଲ ଜମିକୁ କବ୍ଜା କରିନେୁଛନ୍ତି। ଏଭଳି ଶହ ଶହ ଏକର ଜଙ୍ଗଲ କାଟି ପଦା କରି ଦିଆଯାଉଛି। ସବୁ ଜାଣି ନଜାଣିବା ଭଳି ଅଭିନୟ କରୁଥିବା ବନ କର୍ମଚାରୀମାନେ ବିଭିନ୍ନ ମାଫିଆଙ୍କଠାରୁ ମୋଟା ଅଙ୍କର ମୁନାଫା କାରବାର କରି ଚୁପ୍ ବସୁଥିବା ବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ନିଜକୁ ସଫେଇ ଦେଉଛନ୍ତି। ମାଫିଆମାନେ ଦିନକୁ ଦିନ କାୟା ବିସ୍ତାର କରି ଏକର ଏକର ଜଙ୍ଗଲ ଜମିକୁ ନିଜ ଅକ୍ତିଆରକୁ ଆଣୁଥିବା ବେଳେ ବନ କର୍ମଚାରୀମାନେ କିଭଳି ଏହାର ଟେର୍ ପାଇ ପାରୁନାହାନ୍ତି, ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କିଛି ଦିନ ତଳେ ସାକେଣୀ ସେକ୍ସନର ଲେମ୍ବୁଗୋଛା ଜାମ୍ବୁନାଳ ଜଙ୍ଗଲ ମଧ୍ୟରେ ଏକର ଏକର ଜଙ୍ଗଲ ଲୁଟ୍ ଘଟଣାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବନ ବିଭାଗ ପକ୍ଷରୁ ଏହାର ଖୋଳତାଡ଼ ଆରମ୍ଭ ହୋଇଛି। ଉକ୍ତ ସ୍ଥାନଟି ସାକେଣୀ ସେକ୍ସନ ମଧ୍ୟରେ ନଥିବା ବେଳେ ଏହା ପୋଖରୀଗୋଛା ସେକ୍ସନର ସରହଦ ମଧ୍ୟରେ ଥିବା ସାକେଣୀ ସେକ୍ସନ ବନପାଳ ମନୋଜ ପ୍ରଭାକର ସାହୁ ସଫେଇ ଦେଇଛନ୍ତି। ୨୦ ବର୍ଷ ପୂର୍ବରୁ କିଛି ବ୍ୟକ୍ତି ଏହି ଜଙ୍ଗଲ କାଟିବାକୁ ନେଇ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା କୁହାଯାଇଛି। ମାତ୍ର ବଡ଼କଥା ହେଉଛି, ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସେଭଳି କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ଦିନକୁ ଦିନ ଏକର ଏକର ଜଙ୍ଗଲ ପଦା ହୋଇଚାଲିଥିବା ଜଣାଯାଇଛି। ପୋଖରୀଗୋଛାଠାରେ ଲେମନ୍ ଗ୍ରାସ୍ ଚାଷ ପାଇଁ କିଛି ଦିନ ତଳେ ଏକର ଏକର ଜଙ୍ଗଲ ଲୁଟ୍ ଘଟଣା ସାରା ଜିଲ୍ଲାରେ ଆଲୋଚନାର ବିଷୟ ପାଲଟିଥିବା ବେଳେ ପୁଣି ଏବେ ପୋଖରୀଗୋଛା ସେକ୍ସନ ଅଂଚଳରୁ ଏକର ଏକର ଜଙ୍ଗଲ ସଫା ହେବା ପଛରେ ବନ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ଗୋଟିଏ ପାର୍ଶ୍ବରେ ଦେଖିବାକୁ ଗଲେ ସରକାର ବନ ବିଭାଗ ପକ୍ଷରୁ ଥିବା ତନଖି ଫାଟକଗୁଡ଼ିକୁ ଉଠାଇ ଦେଇଥିବା ବେଳେ ଏବେ ମାଫିଆଙ୍କ ପାଇଁ ଦଶପଲ୍ଲା ବନାଞ୍ଚଳ ଏକ ପ୍ରକାର ସାହାଣମେଲା ପାଲଟିଛି। କିନ୍ତୁ ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବନାଞ୍ଚଳ ଅଧିକାରୀ ଦାୟିତ୍ବରେ ଥିବା ନିଖିଳେଶ୍ ମଲିକ ଖପ୍ପା ହୋଇଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ମତାମତ ପାଇଁ ଫୋନ୍ କରିଥିବା ବେଳେ କୌଣସି ସନ୍ତୋଷଜଜନକ ଉତ୍ତର ନଦେଇ ଘଟଣାକୁ ଏଡ଼ାଇ ଯାଇଥିବା ବେଳେ, ବନଖଣ୍ତ ଅଧିକାରୀ ଧନରାଜ ଏଚ୍ଡିଙ୍କୁ ପଚାରିବାରୁ, ପୋଖରୀଗୋଛାଠାରେ ଯେଉଁ ଜଙ୍ଗଲ କଟାଯାଇଛି ତାକୁ ନେଇ ଏସିଏଫ୍ଙ୍କୁ ପଠାଯାଇ ତଦନ୍ତ କରାଯାଇଛି। ଖୁବ୍ଶୀଘ୍ର ଏହାକୁ ବନ୍ଦ କରାଯାଇ ଏହା ଉପରେ ନୂଆ ପ୍ଲାଣ୍ଟେସନ୍ କରାଯିବ। ଦୁର୍ଗାପ୍ରସାଦଠାରେ ଯେଉଁ ଗଛ କଟାଯାଉଛି, ତାକୁ ନେଇ ମଧ୍ୟ ତହସିଲଦାର ମନୋରଞ୍ଜନଙ୍କ ସହ ଯୋଗାଯୋଗ କରାଯାଇଛି। ଏହାର ଜଏଣ୍ଟ୍ ଭେରିଫିକେସନ୍ କରାଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।