ରବିବାର ଖୋଲା ରହେ ସ୍କୁଲ, ସାପ୍ତାହିକ ଛୁଟି ସୋମବାର

ଆଠଗଡ଼: ସାଧାରଣ ଭାବେ ରାଜ୍ୟର ସମସ୍ତ ସ୍କୁଲ୍ ରବିବାର ଛୁଟି ରହୁଥିବା ବେଳେ ଏହାର ବ୍ୟତିକ୍ରମ ଆଠଗଡ଼ରେ ଦେଖିବାକୁ ମିଳିଛି। ସବୁ ବିଦ୍ୟାଳୟ ରବିବାରରେ ବନ୍ଦ ରହୁଥିବା ବେଳେ ଏଠାରେ ଖୋଲା ରହୁଛି ସ୍କୁଲ । ସୋମବାରରେ ଛୁଟି ରହୁଛି ବିଦ୍ୟାଳୟ । ଆଜି କାଲି ନୁହେଁ, ୧୯୧୬ ମସିହାରୁ ବାବା ଧବଳେଶ୍ୱରଙ୍କ ପୀଠ ନିକଟରେ ଥିବା ଧବଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଧାରା ଚାଲୁ ରହିଛି।
ସମସ୍ତେ ଜାଣନ୍ତି ରବିବାର ମାନେ ସ୍କୁଲ ଛୁଟି, ହେଲେ କଟକ ଆଠଗଡ ଧବଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏହି ପ୍ରକ୍ରିୟା ବାହାରେ । କାରଣ ବାବା ଧବଳେଶ୍ୱରଙ୍କ ପୀଠ ନିକଟରେ ଥିବା ଏହି ସ୍କୁଲ ରବିବାର ବଦଳରେ ସୋମବାରରେ ଛୁଟି ହୋଇଥାଏ । ସୋମବାର ଦିନ ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ ଯୋଗୁଁ ସ୍କୁଲରେ ପାଠପଢାରେ ସମସ୍ୟା ସୃଷ୍ଟି ହୁଏ । ତେଣୁ ସ୍କୁଲଟି ସୋମବାରରେ ବନ୍ଦ ରହେ।
୧୯୧୫ ମସିହାରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏଁ ୧୨୧ ଜଣ ଛାତ୍ରଛାତ୍ରୀ ଅଛନ୍ତି । ସ୍କୁଲ ସ୍ଥାପନ ହେବାର ୧ ବର୍ଷ ପରେ ସ୍କୁଲକୁ ରବିବାର ପରିବର୍ତ୍ତେ ସୋମବାରରେ ଛୁଟି କରିବା ପାଇଁ ତତ୍କାଳୀନ ରାଜା ବିଶ୍ୱନାଥ ଦେବବର୍ମାଙ୍କୁ ଜଣାଇଥିଲେ ତତ୍କାଳୀନ ମନ୍ଦିର ପୂଜକ । ପୂଜକଙ୍କ କଥା ରଖି ଏ ନେଇ ସେତେବେଳେ ଇଂରେଜ ସରକାରଙ୍କୁ ସୁପାରିସ କରିଥିଲେ ରାଜା ବିଶ୍ୱନାଥ ଦେବବର୍ମା । ଏହାକୁ ହୃଦବୋଧ କରି ସ୍କୁଲକୁ ରବିବାର ଖୋଲି ସୋମବାର ବନ୍ଦ କରିବା ପାଇଁ ବ୍ରିଟିସ କମିସନ ଅନୁମତି ଦେଇଥିଲେ । ସେବେଠାରୁ ଏହି ପ୍ରକ୍ରିୟା ଜାରି ରହିଛି।
ବିଦ୍ୟାଳୟର ଏହି ଛୁଟି ପ୍ରକ୍ରିୟାକୁ ନେଇ କୌଣସି ଅସୁବିଧା ହେଉନାହିଁ । ଛାତ୍ରଛାତ୍ରୀଙ୍କ ପାଠପଢାରେ ମଧ୍ୟ ବ୍ୟତିକ୍ରମ ଘଟୁନାହିଁ କହୁନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ ।