#Exclusive

ସୂର୍ଯ୍ୟ ମନ୍ଦିର: ତାଳୁରୁ ତଳିପା ଭର୍ତି ହେଲାଣି ସାଦା ପଥର, ମୁଖଶାଳାରେ ଏବେ ୬୦ ପ୍ରତିଶତ ସାଦା ପଥର

କୋଣାର୍କ : ତ୍ରୟୋଦଶ ଶତାବ୍ଦୀରୁ ବିଂଶ ଶତାବ୍ଦୀ। ଗତ ସାତଶହ ବର୍ଷ ଧରି ଓଡ଼ିଆ ଜାତି, ସଂସ୍କୃତି , ପରମ୍ପରା , କଳା ଭାସ୍କର୍ଯ୍ୟର ପରିଚୟକୁ ଧରି ଛିଡ଼ା ହୋଇଛି କୋଣାର୍କ ସୂର୍ଯ୍ୟମନ୍ଦିର। ତ୍ରୟୋଦଶ ଶତାଦ୍ଦୀରେ ବାର ଶହ ଉତ୍କଳୀୟ କାରିଗରଙ୍କ ବାରବର୍ଷର ପରିଶ୍ରମ ସହ ବାରବର୍ଷର ତତ୍କାଳୀନ ଓଡ଼ିଶାର ରାଜସ୍ବ ଖର୍ଚ୍ଚ ଏଥିରେ ଖର୍ଚ୍ଚ ହୋଇଥିଲା। ତେବେ ଏହି ଅଦ୍ବିତୀୟ ଭାସ୍କର୍ଯ୍ୟ ପ୍ରାକୃତିକ ବିପର୍ଯ୍ୟୟ ଅପେକ୍ଷା ମନୁଷ୍ୟକୃତ ବିପର୍ଯ୍ୟୟ ଦ୍ବାରା ଅଧିକ ନଷ୍ଟ ହୋଇଛି। ଏହାର ଜାରାଜୀର୍ଣ୍ଣ ଅବସ୍ଥା ଏବେ ଚିନ୍ତାର କାରଣ ପାଲଟିଛି।

ଯେଉଁ ବାର ଶହ କାରିଗର କଠିନ ପରିଶ୍ରମ କରି କଥାକୁହା ଜୀବନ୍ତ ଭାସ୍କର୍ଯ୍ୟ ପ୍ରତିଷ୍ଠା କରିଥିଲେ ଆଜି ସେଠାରେ ସାଦା ପଥର ଶୋଭା ପାଉଛି। ମନ୍ଦିର ମୁଖଶାଳାର ତଳୁ ଉପର ଯେଉଁଠି ଆଖି ପକାଇଲେ କେବଳ ସାଦା ପଥର ହିଁ ଦେଖାଯାଉଛି। କେଉଁଠି ଠାଏ ଅଧେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତି ଶୋଭାପାଉଛି । ଯାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ ଓଡ଼ିଶା ରାଜ୍ୟ ସରକାର ଓ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା କେନ୍ଦ୍ର ସରକାରଙ୍କ ଏଏସ୍‌ଆଇ ଏ ନେଇ ନିରବତା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏଏସ୍‌ଆଇ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ଲୁହା ଭାରା ଖୋଲାଯିବା ପରେ ମନ୍ଦିରର କାରୁକାର୍ଯ୍ୟକୁ ଯେ ଭଳି ବିଲୋପ କରାଯାଇଛି, ତାକୁ ଦେଖିଲେ କେହି ଧୈର୍ଯ୍ୟ ଧରିପାରି‌ବେ ନାହିଁ। କେଉଁଠି କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତିର ଗଣ୍ଡି ରହିଛି ତ ମୁଣ୍ଡ ନାହିଁ । ପୁଣି ଆଉ କେଉଁଠି ମୁଣ୍ଡ ରହିଥିବା ବେଳେ ଗଣ୍ଡି ସ୍ଥାନରେ ସାଦାପଥର ଖଞ୍ଜି ଦିଆଯାଇଛି। ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଦାୟିତ୍ବ ଏଏସ୍‌ଆଇ କର୍ତ୍ତୃପକ୍ଷ ନେବା ପୂର୍ବରୁ ଯେଉଁଠି କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ଶୋଭା ପାଉଥିଲା ସଂରକ୍ଷଣ ପରେ ଆଜି ଉକ୍ତ ସ୍ଥାନ ଫାଙ୍କା ପଡ଼ିଛି ।

୧୯୦୧ ମସିହାରେ ବ୍ରିଟିଶ ଶାସନ ସମୟରେ ଏଏସ୍‌ଆଇ ପ୍ରତିଷ୍ଠା ହୋଇଥିଲା। ୧୯୦୩ ମସିହାରେ ଏଏସ୍‌ଆଇ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଦାୟିତ୍ବ ନେଲା। ଏଏସ୍‌ଆଇ ମନ୍ଦିରର ସଂରକ୍ଷଣ ଦାୟିତ୍ବ ନେବା ପୂର୍ବରୁ ସୂର୍ଯ୍ୟମନ୍ଦିରର ମୁଖ୍ୟ ମନ୍ଦିର ଭୁଶୁଡ଼ି ପଡ଼ିଥିଲା । ମାତ୍ର ମୁଖଶାଳାରେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ଭରପୁର ରହିଥିଲା । ୧୯୩୯ ମସିହାରେ ସୂର୍ଯ୍ୟମନ୍ଦିରକୁ ସୁରକ୍ଷିତ କୀର୍ତ୍ତି ଭାବେ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ୧୯୮୪ ମସିହାରେ ସୂର୍ଯ୍ୟମନ୍ଦିରକୁ ୟୁନେସ୍କୋ ପକ୍ଷରୁ ବିଶ୍ବ ଐତିହ୍ୟର ମାନ୍ୟତା ଦିଆଗଲା । ମାତ୍ର ସମୟ ଗଡ଼ି ଚାଲିବା ସହିତ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିରର ଶିରି ତୁଟିବା ଆରମ୍ଭ ହେଲା । କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ବଦଳରେ ମନ୍ଦିର ଗର୍ତରେ ସାଧା ପଥର ଖଞ୍ଜି ଦିଆଗଲା।

ବର୍ତ୍ତମାନ ସ୍ଥିତି ଏପରି ହୋଇଛି ଯେ, ସୂର୍ଯ୍ୟମନ୍ଦିର ମୁଖଶାଳାରେ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ବଦଳରେ ପ୍ରାୟ ୬୦ ପ୍ରତିଶତ ସାଦା ପଥର ଶୋଭା ପାଉଛି । ଯାହାକି ଦୀର୍ଘ ୧୬ ବର୍ଷ ପରେ ମନ୍ଦିରରୁ ଲୁହାଭାରା ଖୋଲାଯିବା ପରେ ଜଳଜଳ ହୋଇ ଦେଖାଯାଉଛି । ମନ୍ଦିରରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଅପସାରଣ ନେଇ ସର୍ବପ୍ରଥମେ ୨୦୧୮ ମସିହା ନଭେମ୍ବର ୯ ତାରିଖରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇଥିଲା । ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ଏହାକୁ ନେଇ ହଟଚମଟ ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏନେଇ କେନ୍ଦ୍ରକୁ ଚିଠି ଲେଖି ଉଦ୍‌ବେଗ ପ୍ରକାଶ କରିବା ସହିତ ମନ୍ଦିରର ସଂରକ୍ଷଣ ଦିଗରେ ତୁରନ୍ତ ସମୟୋପଯୋଗୀ ପଦକ୍ଷେପ ନେବାକୁ ଦାବି ଉପସ୍ଥାପନ କରିଥିଲେ । ରାଜ୍ୟର ବିରୋଧୀଦଳ ପକ୍ଷରୁ ଏନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଛି । ମାତ୍ର କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏଏସ୍‌ଆଇ କର୍ତ୍ତୃପକ୍ଷ ଏ ନେଇ ଚୁପ୍‌ ରହିଛି।

ଯାହାକୁ ନେଇ କେବଳ କୋଣାର୍କ କାହିଁକି, ସମଗ୍ର ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଏସ୍‌ଆଇ ନିଜ ଦୋଷ ଲୁଚାଇବାକୁ ଡାହା ମିଛ କହୁଥିବା ମଧ୍ୟ ଅଭିଯୋଗ ହୋଇଛି । ମନ୍ଦିରର କେଉଁ ସ୍ଥାନରେ କେଉଁ ମସିହାରେ କେତେ ଖଣ୍ଡ ସାଦା ପଥର ଲଗାଯାଇଛି, ସେ ସଂପର୍କରେ ଏଏସ୍‌ଆଇ ଉତ୍ତର ସାର୍ବଜନୀନ କରିବାକୁ ଦାବି ହୋଇଛି । ୧୯୯୬ ମସିହାରୁ ଆଜି ପର୍ଯ୍ୟନ୍ତ ମନ୍ଦିରର ପ୍ରବେଶ ଶୁଳ୍କ ୪ ଥର ବୃଦ୍ଧି ପାଇଛି। ମନ୍ଦିରରୁ ପ୍ରବେଶ ଶୁଳ୍କ ବାବଦରେ ଆଦାୟ ହେଉଥିବା ଅର୍ଥରାଶି କେଉଁ କେଉଁ କାର୍ଯ୍ୟରେ ବିନିଯୋଗ କରାଯାଇଛି ‌ତାର ହିସାବ ମଧ୍ୟ ସାର୍ବଜନୀନ କରିବାକୁ ଦାବି ପ୍ରକାଶ ହୋଇଛି। ଏ ଦିଗରେ ବିଧିବଦ୍ଧ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ପ୍ରକାଶ ପାଇବା ସହିତ କୋଣାର୍କର ସଂରକ୍ଷଣ ଦିଗରେ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Leave a comment

Your email address will not be published. Required fields are marked *