ଚିଲିକାରେ ଡଙ୍ଗା ବୁଡ଼ି ଘଟଣାରେ ମାଲିକ ସମେତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ଖୋର୍ଦ୍ଧା: ଗତକାଲି କାଲିଜାଈରୁ ଫେରୁଥିବା ବେଳେ ଏକ ହସ୍ତଚାଳିତ ମାଛଧରା ଡଙ୍ଗା ଚିଲିକାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଘଟଣାକୁ ନେଇ ସୋମବାର ବାଲୁଗାଁ ପୁଲିସ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ମଧ୍ୟରେ ଡଙ୍ଗା ମାଲିକ, ଚାଳକ, ହେଲପର, ଜଣେ କର୍ମଚାରୀ ଅଛନ୍ତି । ଗିରଫ ୪ଜଣଙ୍କ ନାମ ଅଶୋକ କୁମାର ଜାଲି, ଶତ୍ରୁଘ୍ନ ଜାଲି, ବିଶେଖ ଜାଲି ଓ ନବଘନ ଜାଲି ବୋଲି ଜଣାପଡ଼ିଛି। ଚିଲିକା ତହସିଲଦାର ଓ ଚିଲିକା ମତ୍ସ୍ୟ ସମ୍ପଦ ଅଧିକାରୀଙ୍କ ଅଭିଯୋଗ କ୍ରମେ ବାଲୁଗାଁ ପୁଲିସ ଏହି ଘଟଣାକୁ ନେଇ ୧୮/୨୦୨୦ରେ ମାମଲା ରୁଜୁ କରିଛି।
ଉଲେଖଯୋଗ୍ୟ, ଗତକାଲି ସକାଳେ ବାଲୁଗାଁ ଥାନା ବଡ଼କୂଳ, ଚନ୍ଦ୍ରାପୁଟ ଓ ଆଙ୍କୁଲା ଗ୍ରାମର ୪୦ରୁ ଊର୍ଦ୍ଧ୍ଵ ମହିଳା ଓ ପୁରୁଷ କାଳିଜାଈଙ୍କ ପୀଠକୁ ଦର୍ଶନ ଓ ବଣଭୋଜି ପାଇଁ ଯାଇଥିଲେ। ସେଠାରେ ଭୋଜି ସାରି ଡଙ୍ଗାରେ ୧୮ ଜଣ ଯାତ୍ରୀ ଫେରୁଥିଲେ। ସନ୍ଧ୍ୟା ସାଢ଼େ ୫ଟା ସମୟରେ କାଳିଜାଈ ପୀଠ ଠାରୁ ୪ କିଲୋମିଟର ଓ ବଡ଼କୂଳ ଠାରୁ ୧୨ କିଲୋମିଟର ଦୂରରେ ଥିବା ଗଣ୍ଡ ମଧ୍ୟରେ ଆସୁଥିବାବେଳେ ହଠାତ ପବନ ହେବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଫଳରେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ପାଣି ଭିତରେ ଖସିପଡ଼ିଥିଲେ। ଯାତ୍ରୀମାନଙ୍କ ଚିତ୍କାର ଶୁଣି ନିକଟରେ ମାଛ ଧରୁଥିବା କେତେକ ମତ୍ସ୍ୟଜୀବୀ ସେମାନଙ୍କ ଡଙ୍ଗା ଧରି ଘଟଣାସ୍ଥଳରେ ପହଞ୍ଚିବା ସହିତ ୭ ଜଣ ମହିଳା ଓ ୨ ଜଣ ପୁରୁଷଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାକୁ ଆଣିଥିଲେ। ପରେ ଦମକଳବାହିନୀ ଅନ୍ୟ ୯ ଜଣଙ୍କୁ ଉଦ୍ଧାର କରିଥିଲେ।