ଦୁଇ ହାତୀଙ୍କୁ ଧକ୍କା ଦେଲା ଟ୍ରକ୍ : ମାଈ ହାତୀ ମଲା, ଦନ୍ତାର ଭାଙ୍ଗିଗଲା ଅଢ଼େଇ ଫୁଟିଆ ଦାନ୍ତ

ଓଡ଼ାପଡ଼ା : ଢେଙ୍କାନାଳ ବନଖଣ୍ଡ ଓଡ଼ାପଡ଼ା ବ୍ଲକ ୫୫ନମ୍ବର ଜାତୀୟ ରାଜପଥରେ ଆଜି ଭୋର୍ରେ ଟ୍ରକ୍ ଧକ୍କାରେ ଏକ ମାଈହାତୀର ମୃତ୍ୟୁ ହୋଇଥିବା ବେଳେ ଆଉ ଏକ ଦନ୍ତାହାତୀର ଦାନ୍ତ ଭାଙ୍ଗି ଯାଇଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ସବୁଦିନ ସନ୍ଧ୍ୟା ଓ ସକାଳେ ଏହି ବାଟେ ହାତୀପଲ ଜାତୀୟ ରାଜପଥ ପାରି ହେବା ଏକ ନିୟମିତ ଘଟଣା। ଆଜି ମଧ୍ୟ ଭୋର୍ ପ୍ରାୟ ୫ଟା ୪୫ମିନିଟ୍ ସମୟରେ ୨୬/୨୭ଟି ହାତୀପଲ ଏକାଠି ହୋଇ ୫୫ନମ୍ବର ଜାତୀୟ ରାଜପଥକୁ ପୋଡ଼ାପଡ଼ା ନିକଟରେ ଅତିକ୍ରମ କରିଥିଲେ। କିନ୍ତୁ ସେଥିରୁ ୩ଟି ହାତୀ ଧାଡ଼ିରୁ ବାହାରକୁ ଆସି ଢେଙ୍କାନାଳ ଆଡ଼କୁ ରାସ୍ତାରେ ଆଗପଛ ହୋଇ ଯାଉଥିବା ସମୟରେ ଢେଙ୍କାନାଳ ଆଡ଼ୁ ତାଳଚେର ଆଡ଼କୁ ଯାଉଥିବା ଏକ ଟ୍ରକ୍ ସାମ୍ନାରୁ ପ୍ରଥମେ ଏକ ଦନ୍ତା ହାତୀକୁ ଧକ୍କା ଦେଇଥିଲା। ଟ୍ରକ୍ର ଆଘାତ ଏତେ ତୀବ୍ର ଥିଲା ଯେ, ଦନ୍ତାର ଅଢ଼େଇ ଫୁଟ୍ ଲମ୍ବର ଦାନ୍ତ ଭାଙ୍ଗି ଯାଇଥିଲା। ଏହି ଆଘାତରେ ଦନ୍ତା ଗର୍ଜନ ଛାଡ଼ି ରାସ୍ତା ଉପରୁ କେଉଁଆଡ଼େ ଦୌଡ଼ି ପଳାଇଥିଲା। ତା’ ପରେ ଟ୍ରକ୍ଟି ମାଈ ହାତୀକୁ ଧକ୍କା ଦେଇ ତା ଉପରେ ଚକ ଚଢ଼ାଇ ଦେଇଥିଲା। ଟ୍ରକ୍ ମଝି ଚକ ତଳେ ମାଈ ହାତୀର ଜୀବନ ଯାଇଥିଲା। ଦୁର୍ଘଟଣା ପରେ ଗାଡ଼ି ଚାଳକ ଫେରାର୍ ହୋଇଯାଇଛି। ବନ ବିଭାଗ ପକ୍ଷରୁ ହାତୀର ଶବ ବ୍ୟବଚ୍ଛେଦ କରାଯିବା ପରେ ଜଙ୍ଗଲରେ ପୋତି ଦିଆଯାଇଛି। ବନ ବିଭାଗ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିଛି।