ବେଆଇନ ଭାବେ ପୂର୍ତ୍ତବିଭାଗ ପକ୍ଷରୁ ବିଶ୍ଵବିଦ୍ୟାଳୟ ଜମିରେ ନିର୍ମାଣ କରାଯାଇଥିବା ଏକ କୋଠାକୁ ବିଶ୍ଵବିଦ୍ୟାଳୟକୁ ହସ୍ତାନ୍ତର

ଗୋପାଳପୁର : ବେଆଇନ ଭାବେ ପୂର୍ତ୍ତବିଭାଗ ପକ୍ଷରୁ ବିଶ୍ଵବିଦ୍ୟାଳୟ ଜମିରେ ନିର୍ମାଣ କରାଯାଇଥିବା ଏକ କୋଠାକୁ ବିଶ୍ଵବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି କରାଯାଇଥିବା ଜଣାପଡ଼ିଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନାମରେ ରହିଥିବା ଜମିର ରାମଚନ୍ଦ୍ରପୁର ମୌଜା ଅନ୍ତର୍ଗତ ମୋନାର୍ଚ ଛକ ସନ୍ନିକଟ ସ୍ଥାନରେ ପ୍ଲଟ ନଂ ୬୪୬ ଓ ଖାତା ନଂ ୬୩୩/୨୩ରେ ଗତ ୨୦୧୬ ମସିହାରେ ରାଜ୍ୟ ପ୍ଲାନରୁ ୩୨୨.୨୩ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏକ ଦୁଇ ମହଲା ବିଶିଷ୍ଟ ରାସ୍ତା ଓ କୋଠା ବାଡି ବିଭାଗ ଅଧିନସ୍ଥ ମାନ ନିୟନ୍ତ୍ରଣ ବିଭାଜନର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଗତ ୩୦/୧୧/୨୦୧୬ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଏହି କୋଠାଟି ଉଦଘାଟିତ ହୋଇଥିଲା। କିନ୍ତୁ ଏହାକୁ ନେଇ ଗତ ୨୦୧୬ ମସିହାରୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହାର ବିରୋଧ କରାଯିବା ସହ ପୂର୍ତ୍ତବିଭାଗ ପକ୍ଷରୁ ବେଆଇନ ଭାବେ ଏହାର ନିର୍ମାଣ କରାଯାଇଥିବା ନେଇ ପୂର୍ତ୍ତବିଭାଗ ସହ ରାଜ୍ୟ ସରକାରଙ୍କୁ ଏ ନେଇ ଅବଗତ କରାଯାଇଥିଲା। ଶେଷରେ ଗତ ୧୦ ତାରିଖରେ ରାଜ୍ୟ ସରକାରଙ୍କ ଉପ ସଚିବ ପାରୁଲ ପାଟାଓ୍ବାନି(parul patawani)ଙ୍କ କାର୍ଯ୍ୟାଳୟ ଚିଠି ନଂ ୫୧୯ ପ୍ରକାରେ କୋଠା ବାଡି ବିଭାଗ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଇବା ସହ ବିଶ୍ଵବିଦ୍ୟାଳୟକୁ ହସ୍ତାନ୍ତର ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କ୍ରମରେ ଗତ ତିନି ଦିନ ତଳେ ପୂର୍ତ୍ତବିଭାଗ ପକ୍ଷରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ଉକ୍ତ କୋଠାର ଚାବି ହସ୍ତାନ୍ତର କରିଦିଆଯାଇଥିବା ବିଶ୍ଵବିଦ୍ୟାଳୟ ପକ୍ଷରୁ ଜଣାପଡିଛି।