ଅଦରକାରୀ ଶିଶୁଙ୍କୁ ଫୋପାଡିବା ପାଇଁ ଝୁଲା ବ୍ୟବସ୍ଥା : ଅଡୁଆରେ ପୁରୀ ସିଡିଏମଓ

ମାନବିକ ଅଧିକାର କମିଶନରେ ମାମଲା
ଭୁବନେଶ୍ବର : କିଛି ନୂଆ ଓ ଭିନ୍ନ କରିବା ନାଁରେ ପୁରୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ) ଅଦରକାରୀ ପିଲାଙ୍କୁ ଫୋପାଡିବା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଝୁଲାର ବ୍ୟବସ୍ଥା କରିଥିଲେ। କେବଳ ସେତିକି ନୁହେଁ ଗତ ନଭେମ୍ବର ମାସ ୨୨ ତାରିଖରେ ଜିଲା ଶିଶୁ କଲ୍ୟାଣ ସମିତି (ସିଡବଲ୍ୟୁସି)ର ସଦସ୍ୟ ଓ ଜିଲା ଶିଶୁ ସୁରକ୍ଷା ୟୁନିଟ୍ର ଅଧିକାରୀମାନଙ୍କୁ ଡାକି ଏହାର ଉଦଘାଟନ ମଧ୍ୟ କରିଥିଲେ । ଏମିତି ଏକ ଅଦ୍ଭୁତ ଓ ଅମାନବୀୟ ପଦକ୍ଷେପ ତାଙ୍କ ପାଇଁ ଏବେ ଅଡୁଆ ସୃଷ୍ଟି କରିଛି ।
ଏହା ନବଜାତ ଶିଶୁ ବିଶେଷକରି କନ୍ୟା ସନ୍ତାନମାନଙ୍କୁ ଅବହେଳିତ ଭାବେ ଫୋପାଡିଦେବାକୁ ପ୍ରୋତ୍ସାହନ କରିବା ସହିତ ଶିଶୁ ଅଧିକାରକୁ ଉଲଂଘନ କରୁଥିବା ଦର୍ଶାଇ ମାନବିକ ଅଧିକାର କର୍ମୀ ଅଖଣ୍ଡ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ କରିଥିଲେ ।ଏହାକୁ ବିଚାର କରି କମିଶନ ପୁରୀ ଜିଲା ହସ୍ପିଟାଲ୍ ଅଧିକ୍ଷକଙ୍କୁ ନୋଟିସ୍ ଜାରି କରିବା ସହ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୪ ସପ୍ତାହ ମଧ୍ୟରେ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପାଇଁ କମିଶନ କହିଛନ୍ତି ।
ଆବେଦନକାରୀ ଅଖଣ୍ଡ ଦର୍ଶାଇଥିଲେ ଯେ, ହସ୍ପିଟାଲରେ ଶିଶୁ ଜନ୍ମ ସମୟରେ ମାଆ ଓ ଶିଶୁର ସୁରକ୍ଷା ଓ ନିରାପତା ଦାୟିତ୍ୱ ହସ୍ପିଟାଲ କର୍ତୁପକ୍ଷଙ୍କର। କିନ୍ତୁ ଏହା ନକରି ଯେଉଁ ମାଆ ମାନେ ପିଲାମାନଙ୍କୁ ଅଦରକାରୀ ବୋଲି ଭାବିବେ, ସେମାନେ ଶିଶୁମାନଙ୍କୁ ଏହି ଝୁଲାରେ ରଖିଦେଇ ଯିବେ ବୋଲି ହସ୍ପିଟାଲରେ ବ୍ୟବସ୍ଥା ରଖିବା ଅତ୍ୟନ୍ତ ଅମାନବୀୟ । କମିଶନ ମଧ୍ୟ ତାଙ୍କ ଶୁଣାଣୀରେ ସମୟରେ ଏହା ଉଲ୍ଲେଖ କରିଛନ୍ତି। ଏହି ଝୁଲା ଉଦଘାଟନ ସମୟରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅଧିକାରୀ ଉପସ୍ଥିତ ରହିବା ମଧ୍ୟ ଦୁର୍ଭାଗ୍ୟଜନକ । ମାନବିକ ଅଧିକାର କମିଶନ ଏହାକୁ ଗୁରୁତର ସହ ନେଇଛନ୍ତି । ରିପୋର୍ଟ ମିଳିବା ପରେ ଏହି ମାମଲାର ବିଚାର ଡିଭିଜନ୍ ବେଂଚ୍ରେ ହେବ। ଅର୍ଥାତ୍ କମିଶନଙ୍କ ଦୁଇ ସଦସ୍ୟ ଏକତ୍ର ଏହି ମାମଲାର ଶୁଣାଣି କରିବେ । କମିଶନଙ୍କ ଏହି ନିର୍ଦ୍ଦେଶ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଅମାନବୀୟ ବ୍ୟବସ୍ଥାକୁ ଉଠାଇଦେବେ ବୋଲି ଆଶା କରାଯାଉଛି। ମାମଲାର ପରବର୍ତୀ ଶୁଣାଣୀ ଫେବୃୟାରୀ ୨୦ ତାରିଖରେ ହେବ ।