ସ୍କୁଟି ଚଳାଇ ଫସିଲେ ନାବାଳକ,ଗଣିଲେ ୨୬ ହଜାର ଫାଇନ

କଟକ : ସ୍କୁଟି ଚଳାଇ ଜଣେ ନାବାଳକ ଟ୍ରାଫିକ ପୁଲିସ ହାତରେ ଧରାପଡିଛନ୍ତି। ଉକ୍ତ ନାବାଳକଙ୍କ ଠାରୁ ପୁଲିସ ଫାଇନ ଆକାରରେ ୨୬ ହଜାର ଟଙ୍କା ଆଦାୟ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ବାରଙ୍ଗ ଅଞ୍ଚଳରେ। ଟ୍ରାଫିକ ନିୟମକୁ କଡାକଡି କରିବା ସହ ଲୋକମାନଙ୍କୁ ଟ୍ରାଫିକ ନିୟମ ପାଳନ ପାଇଁ ପରିବହନ ବିଭାଗ ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ଚେତୁନାହାନ୍ତି ଜନତା।ସୂଚନା ଅନୁସାରେ କଟକ ବାରଙ୍ଗ ଛକରେ ମଙ୍ଗଳବାର ଜଣେ ନାବାଳକ ବିନା ହେଲ୍ମେଟ୍ରେ ସ୍କୁଟି ଚଳାଇ ଯାଉଥିଲେ। ଏହା ଦେଖି ଆର୍ଟିଓ ଅଧିକାରୀମାନେ ତାକୁ ଅଟକାଇ ଗାଡ଼ି କାଗଜପତ୍ର ଯାଞ୍ଚ କରିଥିଲେ। ଗାଡି ଚାଳକ ଜଣଙ୍କ ନାବାଳକ ବୋଲି ଯାଞ୍ଚ ବେଳେ ଜଣାପଡ଼ିଥିଲା। ନାବାଳକ ହୋଇଥିବା ବେଳେ ବିନା ହେଲ୍ମେଟ୍ରେ ଗାଡ଼ି ଚଳାଉଥିବାରୁ ୧୦୦୦ ଟଙ୍କା ଜୋରିମାନା ଓ ଲାଇସେନ୍ସ ନଥିବାରୁ ଏବଂ ନାବାଳକ ହୋଇଥିବାରୁ ୨୫,୦୦୦ ଟଙ୍କା ଜୋରିମାନା କରିଛନ୍ତି କଟକ ଆଡିସିନାଲ୍ ଆର୍ଟିଓ। ଏଥିସହ ଗାଡ଼ିକୁ ଜବତ କରି ନାବାଳକଙ୍କ ପରିବାର ଲୋକଙ୍କ ସୂଚନା ଦିଆଯାଇଥିବା ଆର୍ଟିଓ ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ପାଦନା – ମନୋରଞ୍ଜନ ମହାପାତ୍ର