ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଶାଶୁ ଆହତ, ଅଭିଯୁକ୍ତ ସ୍ବାମୀ ଫେରାର୍

କାମାକ୍ଷାନଗର/ପରଜଙ୍ଗ: ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବୀର ରୋଡ ଫାଣ୍ଡିର ପଙ୍ଗାତିରା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ ଶାଶୁ ବି ଆହତ ହୋଇଛନ୍ତି। ଅଭିଯୁକ୍ତ ସ୍ବାମୀ ଫେରାର୍ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ପଙ୍ଗାତିରା ଗ୍ରାମର ପ୍ରଫୁଲ ସାହୁଙ୍କ ପୁଅ ଲଳିତ ସାହୁ ଗତ ୨୦୧୭ ମସିହା ମାର୍ଚ୍ଚ ମାସରେ ସେହି ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ଝିଅ ମିତା ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ଭିତରେ ନିୟମିତ ଝଗଡ଼ା ଲାଗୁଥିଲା। ଲଳିତ ସ୍ତ୍ରୀ ମିତାଙ୍କୁ ମାରଧର କରୁଥିବା ନେଇ ଥାନାରେ ମଧ୍ୟ ପୂର୍ବରୁ ଅଭିଯୋଗ ହୋଇଥିଲା । ଗତକାଲି ମଧ୍ୟ ମହାବୀର ରୋଡ ଫାଣ୍ଡିରେ ଅଭିଯୋଗ ହୋଇଥିଲା । ଝିଅ ଘର ଲୋକମାନେ ଫାଣ୍ଡିକୁ ଯାଇଥିବା ବେଳେ ସ୍ବାମୀ ଲଳିତ ଯାଇ ନ ଥିଲା।
ମିତା ତାଙ୍କ ବାପ ଘରେ ଥିବା ବେଳେ ବିଳମ୍ବିତ ରାତିରେ ଲଳିତ ଶଶୁର ଘରକୁ ଆସି ସ୍ତ୍ରୀ ମିତାଙ୍କ ସହିତ ଝଗଡ଼ା କରିବା ପରେ ଏକ ଟାଙ୍ଗିଆରେ ବେକକୁ ହାଣି ଦେଇଥିଲା। ଶାଶୁ ଗେଲ ସାହୁ ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଗୋଟିଏ ଚୋଟ ପକାଇଥିଲା ଲଳିତ। ସେ ଜୀବନ ବିକଳରେ ଦୌଡ଼ି ପଳାଇଯାଇ ଜୀବନ ବଞ୍ଚାଇ ଥିଲେ, ହେଲେ ମିତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।