ସମଗ୍ର ଦେଶରେ ପ୍ରଥମ: ରାଜ୍ୟବାସୀଙ୍କ ପାଇଁ ଉପଲବ୍ଧ ହେଲା ‘ପାଉତି’ ଆପ୍, ଏଣିକି ଘରେ ବସି ପାଇପାରିବେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ସହ ଆହରୁ ବହୁ ଜରୁରୀ ପ୍ରମାଣପତ୍ର

ଭୁବନେଶ୍ୱର: ଏଣିକି ଖଜଣା ଦେବାକୁ ଆଉ ରାଜ୍ୟବାସୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଘରେ ବସି ମୋବାଇଲରେ ଏବେ କଟାଯାଇ ପାରିବ ପାଉତି। ଏଥି ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି ‘ପାଉତି’ ଆପ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଁ ଏହି ଆପ୍କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି।
ଏହି ଆପ୍ ଜରିଆରେ ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରମାଣପତ୍ର ମିଳି ପାରିବ। ଇ-ସାର୍ଟିଫିକେଟ୍ ସେବାକୁ ମଧ୍ୟ ଆଜି ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଛି। ଇଡିଷ୍ଟ୍ରିକ୍ଟ ଡଟ୍ ଓଡ଼ିଶା ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ମଧ୍ୟ ଶୁଭାରମ୍ଭ ହୋଇଛି। ଏହି ୱେବ୍ସାଇଟ୍ ଜରିଆରେ ଜଣେ ବ୍ୟକ୍ତି ଯେକୌଣସି ସ୍ଥାନରେ ଥାଇ ନିଜର ସ୍ଥାୟୀ ବାସିନ୍ଦା ଓ ଆୟ ପ୍ରମାଣପତ୍ର ଅତି ସହଜରେ ପାଇପାରିବେ। ଏଥି ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଆବେଦନକାରୀ ତାଙ୍କର ନିଜସ୍ୱ ଘୋଷଣା ଆଧାରରେ ଏହି ସବୁ ପ୍ରମାଣପତ୍ର ପାଇପାରିବେ। କେବଳ ମାତ୍ର ଜାତିଗତ ପ୍ରମାଣପତ୍ର ଏହି ପ୍ରଣାଳୀରେ ଉପଲବ୍ଧ ହେବ ନାହିଁ। ଜାତିଗତ ପ୍ରମାଣପତ୍ର ପାଇଁ ପୂର୍ବରୁ ଯେଉଁ ବ୍ୟବସ୍ଥା ରହିଥିଲା ସେହି ବ୍ୟବସ୍ଥାରେ ହିଁ ଜଣକୁ ଜାତିଗତ ପ୍ରମାଣପତ୍ର ମିଳିପାରିବ ବୋଲି ରାଜ୍ୟସ୍ୱ ବିଭାଗ ପକ୍ଷରୁ ସ୍ୱଷ୍ଟ କରି ଦିଆଯାଇଛି।