ଓଡ଼ିଶାରେ କମୁନି ଆଳୁ ବଜାର ତାତି, କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ବଙ୍ଗ ବେପାରୀ

ଚାରି ଦିନ ପୂର୍ବେ ହଠାତ୍ ବୃଦ୍ଧି ପାଇଥିବା ଆଳୁଦର ନିକଟ ଭବିଷ୍ୟତରେ ହ୍ରାସ ପାଇବା ସମ୍ଭାବନା ନାହିଁ। ପଶ୍ଚିମବଙ୍ଗରୁ ଆମଦାନି ହ୍ରାସ ପାଇନାହିଁ। ଅଥଚ ବର୍ଧିତ ଦର ତଳମୁହାଁ ହେବା ନା ଧରୁନାହିଁ। ପାଇକାରୀ ଦର କ୍ବିଣ୍ଟାଲ୍ ପିଛା ୧୮ଶହରୁ ୧୯ଶହ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ କିଲୋ ପିଛା ୨୫ଟଙ୍କାରେ ଆଳୁ ବିକ୍ରି ହେଉଛି। ଏହି ବର୍ଧିତ ଦର ଆହୁରି ୧୫ଦିନ ଲାଗି ରହିବ ବୋଲି ବ୍ୟବସାୟୀ ମହଲରୁ ଜଣାପଡ଼ିଛି। ତେବେ ଏଥିପାଇଁ ବଙ୍ଗ ବେପାରୀଙ୍କ ମନମାନି ସହ ରାଜ୍ୟ ସରକାରଙ୍କ ବିପଣନ ବ୍ୟବସ୍ଥାକୁ ବ୍ୟବସାୟୀମାନେ ଦାୟୀ କରିଛନ୍ତି। ବଙ୍ଗ ବେପାରୀମାନେ କୃତ୍ରିମ ଅଭାବ ବାହାନାରେ ଆଳୁ ଦର ବୃଦ୍ଧି କରି ଓଡ଼ିଶା ଖାଉଟିଙ୍କୁ ଶୋଷଣ କରୁଛନ୍ତି ବୋଲି କୁହାଯାଉଛି।
ପଶ୍ଚିମବଙ୍ଗରେ ନାଗରିକ ସଂଶୋନ ଆଇନକୁ ନେଇ ଘଟିଥିବା ପୋଡ଼ାଜଳା ପରେ ପରେ ହଠାତ୍ ଆଳୁ ଦର ବଢ଼ିଗଲା। ଗତ ୧୬ ତାରିଖରୁ ଓଡ଼ିଶା ବଜାରରେ ଆଳୁ ଦର କ୍ବିଣ୍ଟାଲ ପିଛା ୬ଶହ ଟଙ୍କା ବଢ଼ିଯିବାରୁ ପୂର୍ବରୁ ଖୁଚୁରା ବଜାରରେ କିଲୋ ପିଛା ୧୭/୧୮ଟଙ୍କାରେ ବିକ୍ରି ହେଉଥିବା ଆଳୁ ଦର ୧୬ ତାରିଖ ପରଠାରୁ ୨୫ଟଙ୍କାକୁ ଛୁଇଁଗଲା। ସେତେବେଳେ ପଶ୍ଚିମବଙ୍ଗର ଦଙ୍ଗାକୁ ଦାୟୀ କରାଯାଇଥିଲା। ପୋଡ଼ାଜଳା ଆନ୍ଦୋଳନ ବେଳେ ଟ୍ରକ୍ ମାଲିକମାନେ ରାସ୍ତାକୁ ଗାଡ଼ି ନ ଛାଡ଼ିବାରୁ ପରିବହନ ସମସ୍ୟା ଦେଖା ଦେଇଥିଲା ଓ ସେଥିପାଇଁ ସାମୟିକ ଭାବେ ଦର ବୃଦ୍ଧି ଘଟିଛି ବୋଲି କୁହାଗଲା। ତେବେ ସେହି ସମୟରେ ବି ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆମଦାନି କମି ନ ଥିଲା। ଏବେ ପଶ୍ଚିମବଙ୍ଗରେ ସ୍ବାଭାବିକ ସ୍ଥିତି ରହିଛି। ଓଡ଼ିଶା ବଜାରକୁ ମଧ୍ୟ ଆବଶ୍ୟକ ପରିମାଣର ଆଳୁ ଆମଦାନି ହେଉଛି। କିନ୍ତୁ ବଢ଼ି ଯାଇଥିବା ଦର କମୁ ନାହିଁ। ଏବେ ନୂଆ ବାହାନା କରିବା ଆରମ୍ଭ କରିଛନ୍ତି ବଙ୍ଗ ବେପାରୀ। ନୂଆ ଆଳୁ ଅମଳ ବିଳମ୍ବ ହୋଇଥିବାରୁ ଦରବୃଦ୍ଧି ଘଟିଛି ବୋଲି କହୁଛନ୍ତି। ସେମାନଙ୍କ କହିବା କଥା, ଅଦିନିଆ ବର୍ଷା କାରଣରୁ ଅମଳ ପ୍ରାୟ ୧୫ଦିନ ବିଳମ୍ବ ହୋଇଗଲାଣି। ଏଣେ ଗୋଦାମରେ ମହଜୁଦ୍ ଥିବା ପୁରୁଣା ଆଳୁ କମିବାରେ ଲାଗିଛି। ଏହି ଅଭାବ କାରଣରୁ ଆଳୁ ଦର ବୃଦ୍ଧି ପାଇଛି ଓ ନୂଆ ଆଳୁ ଅମଳ ହେବା ପର୍ଯ୍ୟନ୍ତ ଅର୍ଥାତ୍ ଆହୁରି ୧୫ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ ବୋଲି ବଙ୍ଗ ବେପାରୀ କହୁଛନ୍ତି। କିନ୍ତୁ କିଛି ବ୍ୟବସାୟୀଙ୍କ କହିବା କଥା ଯେ ନୂଆ ଆଳୁ ଅମଳ ହେବା ଠିକ୍ ପୂର୍ବରୁ ଶୀତଳ ଭଣ୍ଡାରରେ ମହଜୁଦ୍ ଥିବା ପୁରୁଣା ଆଳୁ ଦର କମିବା କଥା। କାରଣ ନୂଆ ଅମଳ ପୂର୍ବରୁ ଶୀତଳଭଣ୍ଡାର ସବୁକୁ ଖାଲି କରାଯାଏ ଓ ନୂଆ ଆଳୁ ମହଜୁଦ୍ କରିବା ପାଇଁ ପ୍ରସ୍ତୁତ କରାଯାଏ। ତେଣୁ ମହଜୁଦ୍ ଥିବା ପୁରୁଣା ଆଳୁ ଦର ସ୍ବତଃ କମିଯାଏ। ମାତ୍ର ଚଳିତ ବର୍ଷ ଓଲଟା କଥା ହେଉଛି କେମିତି ବୋଲି ଏହି ବ୍ୟବସାୟୀମାନେ ପାଲଟା ପ୍ରଶ୍ନ କରିଛନ୍ତି। ତେଣୁ ପିଆଜ ଓ ପରିବା ଦର ବୃଦ୍ଧି ସମୟରେ ବଙ୍ଗ ବେପାରୀମାନେ ଆଳୁ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଖାଉଟିଙ୍କୁ ଶୋଷଣ କରୁଛନ୍ତି ବୋଲି ଏହି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଏବେ ଓଡ଼ିଶା ସରକାରଙ୍କ ଯୋଗାଣ ବିଭାଗ ଏ ଦିଗରେ ଦୃଷ୍ଟି ଦେବା ଉଚିତ ବୋଲି ସେମାନେ ଦାବି କରିଛନ୍ତି।
ସମ୍ପାଦନା – ମନୋରଞ୍ଜନ ମହାପାତ୍ର