୨୦ ହଜାର ଟଙ୍କା ଲୁଟିବାକୁ ଉଦ୍ୟମ କରି ବିଫଳ ହେଲେ ତିନି ଲୁଟେରା, ନିସ୍ତୁକ ଛେଚା ଖାଇଲେ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହରର ଜନଗହଳିପୂର୍ଣ୍ଣ ଗାନ୍ଧୀଛକରେ ଆଜି ଦିନ ଦିପ୍ରହରରେ ଜଣେ ଚାଷୀଙ୍କ ଠାରୁ ଲୁଟ ଉଦ୍ୟମ ହୋଇଛି। ଜଣେ ଲୁଟେରା ଲୋକଙ୍କ ହାତରେ ଧରାପଡ଼ି ନିସ୍ତୁକ ମାଡ଼ ଖାଇଥିବା ଜଣାଯାଇଛି। ତେବେ ଘଟଣାସ୍ଥଳରୁ ଆଉ ୨ ଜଣ ଲୁଟେରା ଫେରାର ହୋଇଯାଇଛନ୍ତି।ସୂଚନା ଅନୁସାରେ ରାଇକିଆ ଥାନା ଅନ୍ତର୍ଗତ ବାକିଙ୍ଗିଆ ଗ୍ରାମର ଜଣେ ଚାଷୀ ଶରତ ଚନ୍ଦ୍ର ଦିଗାଲଙ୍କ ଠାରୁ ତିନି ଜଣ ଲୁଟେରା ଟଙ୍କା ଲୁଟ୍ ଉଦ୍ୟମ କରି ବିଫଳ ହୋଇଛନ୍ତି। ଶରତ ଆଜି ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଆସି ୨୦ ହଜାର ଟଙ୍କା ଉଠାଇ ଏକ ବ୍ୟାଗରେ ଧରି ନିଜ ଗାଁକୁ ଫେରୁଥିଲେ। ସେ ବ୍ୟାଙ୍କରୁ ଚାଲି ଚାଲି ଲକ୍ଷ୍ମୀ ବଜାର ଦେଇ ଆସୁଥିବା ବେଳେ ଜଣେ ଲୁଟେରା ଚାଷୀଙ୍କ ସାର୍ଟ ପଛପଟେ ବିସ୍କୁଟ ଗୁଣ୍ଡକୁ ପାଣିରେ ଗୋଳେଇ ତାଙ୍କ ପଛ ପିଠିକୁ ଫିଙ୍ଗି ଦେଇ ଚାଲି ଯାଇଥିଲା। ଏହା ପରେ ଗାନ୍ଧୀଛକରେ ପହଂଚିବା ପରେ ଅନ୍ୟ ଏକ ବାଇକରେ ଦୁଇ ଜଣ ଲୁଟେରା ଆସି ଚାଷୀ ଶରତଙ୍କୁ କହିଥିଲେ, ତମ ପଛପଟେ କଣ ପଡିଛି। ସେ ପଛକୁ ଦେଖିଲା ବେଳକୁ ଯୁବକ ଜଣକ ବ୍ୟାଗ ନେବାକୁ ଉଦ୍ୟତ ହୋଇଥିଲା। କିନ୍ତୁ ଶରତ ନିଜ ଟଙ୍କା ବ୍ୟାଗ ଜାବୁଡି ଧରିଥିଲେ। ଲୁଟେରାମାନେ ଟଙ୍କା ଲୁଟିବାରେ ବିଫଳ ହୋଇ ଛକରେ ଅପେକ୍ଷା କରିଥିଲେ।ଖବର ପାଇ ଆଇଆଇସି ଧିରାଜ ଲେଙ୍କା ଘଟଣାସ୍ଥଳରେ ପହଁଚିବା କ୍ଷଣି ଲୁଟେରା ଦଳ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। କିଛି ସମୟ ପରେ ସାରଂଗଡ଼ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମରେ ଲୁଟେରା ଦଳ ପହଂଚି ଏସବିଆଇ ବ୍ୟାଙ୍କ ସମୁଖରେ ନିଜ ଖେଳ ଆରମ୍ଭ କରିବା ସମୟରେ ସ୍ଥାନୀୟ ଲୋକ ଜଣେ ଲୁଟେରାକୁ କାବୁ କରି ଉତ୍ତମ ମଧ୍ୟମ କରି ପୁଲିସକୁ ହସ୍ତାନ୍ତର କରିଥିଲେ।ଘୁ.ଉଦୟଗିରି ଅଂଚଳରେ ଦୀର୍ଘ ଦିନ ହେଲା ଏହି ଭଳି ଲୁଟେରା ଦଳ ଏଭଳି ଉପାୟରେ ଲୁଟ କରି ଚାଲିଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ କୌଣସି ସୁରାକ ପାଇପାରୁନଥିଲା। ଆଜି ସ୍ଥାନୀୟ ଲୋକ ଲୁଟେରାଙ୍କ ସୁରାକ ଦେବା ସହ ସହରର ବିଭିନ୍ନ ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜ ଦେଖି ତତ୍ପର ହେଉଥିବା ବେଳେ ଲୁଟେରା ଦଳରୁ ଜଣେ ଗୁଟିଙ୍ଗିଆରେ ଲୋକଙ୍କ ହାବୁଡ଼ରେ ପଡି ଛେଚା ଖାଇଥିଲା।
ସମ୍ପାଦନା-ମନୋରଞ୍ଜନ ମହାପାତ୍ର ।