ଯାଜପୁର : ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ଜୀବନ ବଞ୍ଚାଇବାକୁ ଯାଇ ଜୀବନ ଗଲା

ଯାଜପୁର (ବ୍ୟୁରୋ): ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡ଼ିଥିଲେ। ତାଙ୍କୁ ମେଡିକାଲ୍ ନେବା ପାଇଁ ସେହି ରାସ୍ତାରେ ଯାଉଥିବା ଆଉ ଜଣେ ବାଇକ୍ ଆରୋହୀ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରୁଥିବା ବେଳେ ପିଟିଦେଲା ଏକ ଟ୍ରକ୍। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପ୍ରଥମ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକଙ୍କର ମଧ୍ୟ ମେଡିକାଲ୍ରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳରେ ଘଟିଛି।
ସୁକିନ୍ଦା ଅଞ୍ଚଳର ଚନ୍ଦ୍ରଶେଖର ଦ୍ୱିବେଦୀ ବାଇକ ଚାଳକ ଯାଉଥିଲେ। ବାଘୁଆ ଛକ ନିକଟରେ ତାଙ୍କ ବାଇକ୍କୁ ଏକ ଟ୍ରକ୍ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଚନ୍ଦ୍ରଶେଖର ରକ୍ତ ଜୁଡ଼ୁବୁଡ଼ୁ ହୋଇ ରାସ୍ତାରେ ପଡ଼ିଥିଲେ। ଠିକ୍ ଏତିକି ବେଳେ ସେହି ରାସ୍ତାଦେଇ ଯାଉଥିଲେ କବାଟବବନ୍ଧ ଗାଁର ଅଜୟ ବେହେରା। ଆଉ ରାସ୍ତା ଉପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଚନ୍ଦ୍ରଶେଖରଙ୍କୁ ଦେଖି ସାହାଯ୍ୟ କରିବା ଲାଗି ଆଗେଇ ଆସିଥିଲେ। ତାଙ୍କୁ ମେଡିକାଲ୍ ନେବା ପାଇଁ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରୁଥିଲେ। ସେହି ସମୟରେ ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଅଜୟଙ୍କର ମୃତ୍ୟୁ ଘଟିଥିଲା।
ପୂର୍ବରୁ ଦୁର୍ଘଟଣାରେ ଗୁରୁତର ହୋଇଥିବା ସୁକିନ୍ଦା ଅଞ୍ଚଳର ଚନ୍ଦ୍ରଶେଖର ଦ୍ୱିବେଦୀଙ୍କୁ ଡୁବୁରିସ୍ଥିତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୟ ଅଞ୍ଚଳରେ କିଛି ସମୟ ଲାଗି ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।
ସମ୍ପାଦନା – ମନୋରଞ୍ଜନ ମହାପାତ୍ର